ବରପାଲି ସମଲେଶ୍ଵରୀ ଠିକାଦାର ସଂଘ ଏବଂ ବିଶ୍ଵକର୍ମା ରାଜମିସ୍ତ୍ରୀ ସଂଘ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ
ବରପାଲି ୨୮/୮(ଆ ପ୍ର)- ବରପାଲି ସମଲେଶ୍ଵରୀ ଠିକାଦାର ସଂଘ ଏବଂ ବିଶ୍ଵକର୍ମା ରାଜମିସ୍ତ୍ରୀ ସଂଘ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସାଇ ମନ୍ଦିର ନିକଟସ୍ଥ ହୋତା ମଣ୍ଡପ ପରିସରରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ମୁଖ୍ୟତଃ ବଙ୍ଗୀୟ ରାଜମିସ୍ତ୍ରୀ ମାନେ ଅଞ୍ଚଳରେ ବ୍ୟାପକ ମାତ୍ରାରେ ଆସି କାମ କରୁଥିବାରୁ ସ୍ଥାନୀୟ ରାଜମିସ୍ତ୍ରୀ ମାନଙ୍କ କୌଳିକ ବୃତ୍ତି ପ୍ରତି ବିପଦ ସୃଷ୍ଟି ହୋଇସାରିଛି ବୋଲି ରାଜମିସ୍ତ୍ରୀ ମାନେ ପ୍ରକାଶ କରିଥିଲେ । ଏହାସହ ସେମାନଙ୍କୁ କାମରୁ ହଟାଇ ସ୍ଥାନୀୟ ଲୋକଙ୍କୁ ଯୋଗାଇଦେବାକୁ ଦାବୀ କରିଥିଲେ । ଠିକାଦାର ସଂଘ ତରଫରୁ ସେମାନଙ୍କ ଦାବିକୁ ଶୁଣାଯାଇଥିଲା । ହେଲେ ଏବେ କରୁଥିବା କାମ ସବୁରେ ବଙ୍ଗୀୟ ରାଜମିସ୍ତ୍ରୀ ମାନଙ୍କ ସହ ଅଦାଲତରେ ଚୁକ୍ତି ହୋଇ ସାରିଥିବାରୁ ସେମାନଙ୍କୁ ଚାଲିଥିବା କାର୍ଯ୍ୟରୁ ନିଲମ୍ବିତ କରିହେବ ନାହିଁ ବୋଲି ଠିକାଦାର ମାନେ ପ୍ରକାଶ କରିଥିଲେ । ନୂତନ କାମରେ ପ୍ରଥମେ ସ୍ଥାନୀୟ ରାଜମିସ୍ତ୍ରୀ ମାନଙ୍କୁ ପ୍ରଥମେ ସୁଯୋଗ ଦିଆଯିବ ବୋଲି କହିଥିଲେ । ଏହାସହ ସ୍ଥାନୀୟ ରାଜମିସ୍ତ୍ରୀ ମାନେ ସେମାନଙ୍କ ଦଳ ସହ ବଡ ବଡ କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ । ପ୍ରାୟତ ସ୍ଥାନୀୟ ରାଜମିସ୍ତ୍ରୀ ମାନଙ୍କର କାମରେ ବହୁ ସମସ୍ୟା ଦେଖାଦେଉଛି । ଘରୁ ଯାଇ କାମ କରି ସଂଧ୍ୟାରେ ଘରକୁ ଫେରି ଆସିଥାନ୍ତି । ସେମାନଙ୍କ ସହ କାମ କରୁଥିବା ଶ୍ରମିକ ମାନେ କୋଠା କାର୍ଯ୍ୟ କରିବା ସହ ସେମାନଙ୍କ ଘର କାମ ମଧ୍ୟ କରିଥାଆନ୍ତି । ଫଳରେ ସେମାନେ ସେମାନଙ୍କ ଘର କାମ ପାଇଁ ସବୁଦିନ କୋଠା କାର୍ଯ୍ୟ କରିବାକୁ ଯାଇପାରି ନ ଥାଆନ୍ତି । ଏହା ଫଳରେ କାମରେ ବ୍ୟାଘାତ ସୃଷ୍ଟି ହେଉଛି । ଯାହାଫଳରେ ନିର୍ଦ୍ଧାରିତ ତାରିଖ ମଧ୍ୟରେ କୋଠା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନଥିବାରୁ ଠିକାଦାର ମାନେ ବହୁ କ୍ଷତି ସହୁଛନ୍ତି । ହେଲେ ବଙ୍ଗୀୟ ମିସ୍ତ୍ରିମାନେ କାର୍ଯ୍ୟସ୍ଥଳରେ ରହି କାର୍ଯ୍ୟ କରୁଥିବା ଯୋଗୁଁ ସେମାନେ ଦିଆ ଯାଇଥିବା ସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରୁଛନ୍ତି । ଅନ୍ୟ ପକ୍ଷରେ ସ୍ଥାନୀୟ ସବୁ ରାଜମିସ୍ତ୍ରୀ ମାନଙ୍କ ପାଖରେ କୋଠା କାର୍ଯ୍ୟରେ ନିର୍ମାଣ ପାଇଁ ବ୍ୟବହୃତ ମୁଖ୍ୟ ଉପକରଣ ଯଥା ସେଣ୍ଟିଂ ପଟା ବହୁ ପରିମାଣରେ ରଖିନାହାନ୍ତି । ହେଲେ ବଙ୍ଗୀୟ ରାଜମିସ୍ତ୍ରୀ ମାନେ କୋଠା କାର୍ଯ୍ୟ ରେ ବ୍ୟବହୃତ ସବୁ ଉପକରଣ ରଖି ସବୁ କାର୍ଯ୍ୟ କରିଥାନ୍ତି । ଫଳରେ ଠିକାଦାର ମାନଙ୍କ ଅସୁବିଧା ବହୁ ପରିମାଣରେ କମ ହୋଇଥାଏ । ଏହିସବୁ ସମସ୍ୟା ଗୁଡ଼ିକ ଉପରେ ଦୃଷ୍ଟି ଦେଇ ଏହାର ସମାଧାନ କରିପାରିଲେ ସ୍ଥାନୀୟ ରାଜମିସ୍ତ୍ରୀ ମାନଙ୍କୁ କାମ ଦେବାରେ କୌଣସି ଅସୁବିଧା ନାହିଁ ବୋଲି ଠିକାଦାର ମାନେ ପ୍ରକାଶ କରିଥିଲେ । ଏହି ବୈଠକରେ ମାଁ ସମଲେଶ୍ୱରୀ ଠିକାଦାର ସଂଘ ତରଫରୁ ସରୋଜ ତ୍ରିପାଠୀ ,ସନ୍ତୋଷ ସାହୁ , ସଲିମ ଖାନ, ବିଭୁତି ମିଶ୍ର, ବଣ୍ଟି ତ୍ରିପାଠୀ, ବନ୍ତରାମ ସେଠ, ଟିକାୟତ ମହତ୍ତମ, ଅରବିନ୍ଦ ବାବୁ, ଶରତ ଶା, ମନୋଜ ମେହେର, ସୁରେଶ ମେହେର, ମୁନା ମେହେର ପ୍ରମୁଖ ସଭ୍ୟ ବୃନ୍ଦ ଉପସ୍ଥିତ ଥିଲେ । ବିଶ୍ଵକର୍ମା ରାଜମିସ୍ତ୍ରୀ ସଂଘ ପକ୍ଷରୁ ସଭାପତି ରାଜେଶ ମହାନନ୍ଦ ଏବଂ ସମ୍ପାଦକ ବଜରଙ୍ଗ ସାହୁ ଙ୍କ ସମେତ ପ୍ରାୟ 30 ଜଣ ରାଜମିସ୍ତ୍ରୀ ବୈଠକରେ ଯୋଗ ଦେଇଥିଲେ ।
Comments
Post a Comment